ଆଜି ଓଡ଼ିଶା ଦିବସ; ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

<strong><em>ଆଜି ଓଡ଼ିଶା ଦିବସ; ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା</em></strong>
୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହାର ସ୍ମୃତିରେ ଆଜି ପାଳନ କରାଯାଉଛି ଓଡ଼ିଶା ଦିବସ ବା ଉତ୍କଳ ଦିବସ।

ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ତା’ ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଂଜାମ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହୀନମନ୍ୟତାରେ ବଞ୍ଚୁଥିଲେ ଓଡ଼ିଆ।

ତେବେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବାସୁଦେବ ସୁଢ଼ଳ ଦେବ, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ, କବି ନୀଳକଣ୍ଠ ଦାସଙ୍କ ପରି କେତେକ ବରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାକୁ ଆରମ୍ଭ କରିଥିଲେ ସଂଘର୍ଷ।

ଏଥିପାଇଁ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ। ଏହାପରେ ଜୋରଦାର ହୋଇଥିଲା ସଂଗ୍ରାମ। ଶେଷରେ ସେମାନଙ୍କର ସ୍ୱପ୍ନ ସତ୍ୟ ହେଲା। ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଓଡ଼ିଆମାନେ ପାଇଲେ ନିଜପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।

ସାର୍ ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା। ପରେ ଏହା ୧୩ଟି ଓ ୩୦ଟି ଜିଲ୍ଲାରେ ବିଭକ୍ତ ହୋଇଅଛି।

ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଇଥାଏ।
administrator

Related Articles

Leave a Reply

Your email address will not be published. Required fields are marked *