ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି ।

ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି ।

ଜୟ ଯବାନ ଜୟ କିଷାନ୍ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହୁଦର ଶାସ୍ତ୍ରୀଙ୍କ ଏହି ନାରାରେ ଆଉ ଦୁଇ ପଦ ଯୋଡିଛନ୍ତି ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ । ଏହାର ଅର୍ଥ ଦେଶ ପାଇଁ ସମସ୍ତେ ସମାନ । ମାଟିର ସନ୍ତାନ ନିଜ ରକ୍ତର ବଳିଦାନ ଦେଇ ଦେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବାବେଳେ ଦେଶର କୃଷକଟିଏ ଅହରହ ମାଟିରେ ସୁନା ଫଳାଇ ଦେଶବାସୀଙ୍କ ଉଦର ଶାନ୍ତ କରେ । ସେହିପରି ବିଜ୍ଞାନ ଏବଂ ଅନୁସନ୍ଧାନ ଦେଶର ସୁରକ୍ଷା ବଳକୁ ସୁଦୃଢ କରିବା ସହ କୃଷକର ହାତକୁ ମଜବୁତ କରେ । ଆଉ ଏହି ସବୁର ସମିଶ୍ରଣରେ ବୃଦ୍ଧି ହୁଏ ଦେଶର ଆର୍ଥିକ ସ୍ଥିତି ।
ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି । ବିଶେଷ କରି କପା ଚାଷ କ୍ଷେତ୍ରରେ ବିଶ୍ୱର ୨୫% କପାର ଚାହିଦା କେବଳ ଭାରତ ବର୍ଷରୁ ପୂରଣ ହୋଇଥାଏ । ଓଡିଶାରେ ମଧ୍ୟ କପା ଚାଷର ଚାହିଦା ଅନେକ ରହିଛି । କପାକୁ ଆମେ ଧଳା ସୁନା ବୋଲି କହିଥାଉ । କାରଣ ଟେକ୍ସଟାଇଲ୍ ଶିଳ୍ପ କ୍ଷେତ୍ରରେ କପାର ଚାହିଦା ଖୁବ୍ ଅଧିକା । ରାଜ୍ୟରେ ମୁଖ୍ୟତଃ ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାରେ କପା ଚାଷ ହୋଇଥାଏ । ବିଶେଷ କରି ରାୟଗଡା, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗୀରରୁ ବହୁଳ ପରିମାଣରେ କପା ଚାଷ କରାଯାଏ । ଏହା ବ୍ୟତୀତ ଗଞ୍ଜାମ, ସୋନପୁର, ଗଜପତି, ବୌଦ୍ଧ, ବରଗଡ, ଫୁଲବାଣୀ ଏବଂ କୋରାପୁଟରେ ମଧ୍ୟ କପା ଚାଷ କରାଯାଏ । କପା ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ତଥା କେନ୍ଦ୍ର ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓୟୁଏଟି, ଭବାନୀପଟଣାରେ ଥିବା ଆଚଂଳିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ସଂସ୍ଥାନ (ଆରଆରଟିଟିଏସ୍) ରେ କପା ଅନୁସନ୍ଧାନ କେନ୍ଦ୍ର ୨୦୦୧ରୁ ସ୍ଥାପନ କରାଯାଇଛି । ଆମ ରାଜ୍ୟର ପ୍ରାୟ ୬ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ କପା ଚାଷ ଉପରେ ନିର୍ଭରଶୀଳ ।
ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ଯୋଗାଇ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କୃଷି ବିପଣନ ପରିଷଦ ଗଠିତ ହୋଇଛି । ଏହା ସହ ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ଉତ୍ପାଦ ବିକ୍ରୟ ନିମନ୍ତେ ମଣ୍ଡି ଏବଂ ନିୟନ୍ତ୍ରିତ ବଜାର କମିଟି ପ୍ରତିଷ୍ଠା କରାଯାଇଛି । ଏହାର ଉଦେ୍ଦଶ୍ୟ ହେଲା କୃଷକ ପାଇଁ ଉପଯୁକ୍ତ ବଜାର ଯୋଗାଇବା । ଯାହାଫଳରେ ଚାଷୀ ତାର ଉତ୍ପାଦକୁ ସଠିକ ମୂଲ୍ୟରେ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରିବ । ଏହି ପରିପ୍ରେକ୍ଷୀରେ ଯୁବ ଜ୍ୟୋତି ଯୁବକ ସଂଘ କପା ଫସଲ ନିମନ୍ତେ ରାଜ୍ୟର ବଲାଙ୍ଗୀର, ବୈଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଓ ରାୟଗଡା ଜିଲ୍ଲାରେ ୧୨୦ରୁ ଉଦ୍ଧ୍ୱର୍ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି । ଉଦେ୍ଦଶ୍ୟ ହେଲା କୃଷକ ଉତ୍ପାଦକ ସଂଗଠନକୁ ସହ ନିବନ୍ଧକ ସମବାୟ ସମିତି ସମୂହ ଓଡିଶା (ଇଜଉଝ)ଙ୍କ ନିକଟରେ ସୋସାଇଟି ଅଧିନିୟମ ୧୯୬୨ ଅନୁସାରେ ପଞ୍ଜିକରଣ କରି ସମ୍ପୃକ୍ତ ଚାଷୀଙ୍କୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଜରିଆରେ କୃଷି ଋଣ ପ୍ରଦାନ କରିବା । ଯୁବ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଚାଷୀଙ୍କ ହାତରେ ହାତ ମିଳାଇ ଚାଷ ପାଇଁ ଉପଯୋଗୀ ସାମଗ୍ରୀ ଯୋଗାଇବା ସହିତ କପା ଉତ୍ପାଦନ ପରେ ତାକୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ । ଏ ନେଇ କପା ଚାଷୀଙ୍କ ଭିତିଭୂମିର ବିକାଶ ନିମନ୍ତେ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସରକାରୀ ସହାୟତା ଦିଗରେ କାମ କରିବ ସଂଘ ।
ନିୟନ୍ତ୍ରିତ ବଜାର କିମିଟି ପରିଷଦରେ ଉତ୍ପାଦିତ ତୁଳାକୁ ଏକାଠି କରିବା ଓ ଇ-ନାମ ବା ନିଲାମୀ ପ୍ରକ୍ରିୟାରେ ବିକ୍ରୟ କରିବାଦ୍ୱାରା ଚାଷୀ ସେମାନଙ୍କର ଉତ୍ପାଦର ସଠିକ ମୂଲ୍ୟ ପାଇପାରିବେ । କାରଣ ଆମ ରାଜ୍ୟରେ ଉତ୍ପାଦ ତୁଳା ସମଗ୍ର ଦେଶରେ ସର୍ବକୃଷ୍ଟ । କାରଣ ଏଥିରେ କମ୍ ମାତ୍ରାରେ ରସାୟନିକ ସାର ବ୍ୟବହାର ହୋଇଥାଏ । ତେଣୁ ଅର୍ଗାନିକ କଟନ୍ ଭାବେ ଏହାର ମାନ ଏବଂ ମୂଲ୍ୟ ମଧ୍ୟ ସର୍ବାଧିକ । ତେବେ ଆମ ରାଜ୍ୟର କପାଚାଷୀଙ୍କ କୌଣସି ସଂଗଠନ ନ ଥିବାରୁ ବାହାର ରାଜ୍ୟର ବ୍ୟବସାୟୀ ଏହାର ଅନେକାଂଶରେ ଲାଭ ଉଠାଇଥାଆନ୍ତି । ଏଣୁ ରାଜ୍ୟର କପା ଚାଷୀଙ୍କୁ ସରକାରଙ୍କ ସମସ୍ତ ଯୋଜନାର ସୁଯୋଗ ପ୍ରଦାନ ନିମନ୍ତେ ଯୁବ ଜ୍ୟୋତି ଯୁବକ ସଂଘ କୃଷକ ଉତ୍ପାଦକ ସଂଗଠନ ଭାବେ ଠିଆ ହୋଇଛି ।
ଏହାର ମୂଳ ଉଦେ୍ଦ୍ୟଶ ହେଉଛି ଗୁଣବତା ସମ୍ପନ୍ନ କୃଷି ସାମଗ୍ରୀ ଯଥା- କୀଟନାଶକ, ବିହନ, ସାର, ଅଣୁସାର, ତୃଣ ନାଶକ ସାମଗ୍ରୀ ଚାଷୀଙ୍କୁ ଯୋଗାଇବା, କୃଷି ଉତ୍ପାଦ ଏକତ୍ରିକରଣ କରିବା ଓ ଏଥି ନିମନ୍ତେ ଉପଯୁକ୍ତ ବଜାର ସୃଷ୍ଟି କରିବା । ରାଜ୍ୟ ସରକାର କପା ଚାଷୀଙ୍କ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ଚାଷୀ ଆଉ ସାହୁକାର ପାଖରେ ବନ୍ଧା ନ ପଡି ନିଜେ ସ୍ୱାବଲମ୍ବୀ ହେବ । ଆଉ ଏ ସମସ୍ତ ବ୍ୟବସ୍ଥା ଏବଂ ସରକାରୀ ଯୋଜନା ସମ୍ପର୍କରେ କପା ଚାଷୀଙ୍କୁ ସଚେତନ କରାଇବ ଯୁବ ଜ୍ୟୋତି ଯୁବକ ସଂଘ ।
କପା ଫସଲର ବଜାର ବିକ୍ରି କିଭଳି ହେବ ସେ ନେଇ ଉନ୍ନତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର । ନିୟନ୍ତ୍ରିତ ବଜାର କମିଟି ଜରିଆରେ ତୁଳାରୁ ମଞ୍ଜି ଛଡା ଯନ୍ତ୍ର ବସାଇ କପାରୁ ରୁଇ ଏବଂ ମଞ୍ଜିକୁ ଅଲଗା କରି ବିକ୍ରିୟ ବ୍ୟବସ୍ଥା କରିଛନ୍ତି । ଯଦ୍ୱାରା ତୁଳାର ମୂଲ୍ୟ ବୃଦ୍ଧି ହୋଇପାରିବ । ଏପରିକି ଚାଷୀ କପା ମଞ୍ଜିରୁ ପ୍ରସ୍ତୁତ ତେଲକୁ ବାହାର କରି ଏହାର ବ୍ୟବସାୟ ମଧ୍ୟ କିପରି କରିବେ ସେ ନେଇ ବ୍ୟବସ୍ଥା ମଧ୍ୟ ଗ୍ରହଣ ହୋଇଛି ।
ଯୁବ ଜ୍ୟୋତି ଯୁବକ ସଂଘ ଏକ ସ୍ୱେଚ୍ଛାସେବୀ ସଂଗଠନ ତଥା କପା ଚାଷୀଙ୍କ ଲାଗି ଏକ କୃଷକ ଉତ୍ପାଦକ ସଂଗଠନ ଭାବେ ସର୍ବଦା କାର୍ଯ୍ୟରତ ।

administrator

Related Articles

Leave a Reply

Your email address will not be published. Required fields are marked *